17-Jan-2025 ପାଞ୍ଚ ପାଠ ଖବର

ଓଡିଶାରେ ବିଦ୍ୟାଳୟ ସ୍ତରରେ ଲାଗୁ ହେବ NEP – 2020

👉 ଉଚ୍ଚଶିକ୍ଷା କ୍ଷେତ୍ରରେ ଲାଗୁ ହେବା ପରେ, ବର୍ତ୍ତମାନ ଜାତୀୟ ଶିକ୍ଷା ନୀତି (NEP) – 2020 ଓଡିଶାରେ ବିଦ୍ୟାଳୟ ସ୍ତରରେ ମଧ୍ୟ କାର୍ଯ୍ୟକାରୀ ହେବାକୁ ଯାଉଛି |

👉 ସଦ୍ୟ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୁଧବାର ଦିନ ସୂଚନା ଦେଇଛନ୍ତି ଯେ ଶିକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଉଦ୍ଦେଶ୍ୟରେ NEP-2020 ରାଜ୍ୟରେ କାର୍ଯ୍ୟକାରୀ ହେବ, ଏବଂ ସ୍ଥାନୀୟ ସନ୍ଦର୍ଭ ଅନୁଯାୟୀ, ଜାତୀୟ ପାଠ୍ୟକ୍ରମ ଫ୍ରେମୱାର୍କ (ଏନ୍.ସି.ଏଫ୍)ର ଢ଼ାଞ୍ଚାକୁ, ଓଡ଼ିଶାରେ ରାଜ୍ୟ ପାଠ୍ୟକ୍ରମ ଫ୍ରେମୱାର୍କର ରୁପରେଖା ଭାବରେ ରୁପାନ୍ତରିତ କରାଯିବ | 

👉 NEP ଆଣିବାକୁ ଚାହୁଁଥିବା ପରିବର୍ତ୍ତନର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଲା ପୁର୍ବରୁ ଚାଲି ଆସୁଥିବା ପରୀକ୍ଷା-କୈନ୍ଦ୍ରିକ ଶିକ୍ଷା ବ୍ୟବସ୍ଥା ବା 10 + 2 ବିଦ୍ୟାଳୟ ସଂରଚନା ବ୍ୟବସ୍ଥାକୁ ନୂତନ “5 + 3 + 3 + 4” ଶିକ୍ଷାଗତ ସଂରଚନାକୁ ପରିବର୍ତ୍ତନ କରିବା | 

👉 ଏହି ସଂରଚନା, ୧୨ ବର୍ଷର ବିଦ୍ୟାଳୟ ଶିକ୍ଷା ଏବଂ ୩ ବର୍ଷର ପ୍ରି-ସ୍କୁଲ୍ ବା ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଉପରେ ଗୁରୁତ୍ୱ ଦେବ | 

👉 ଏହି ନୁତନ ନୀତି ପିଲାମାନଙ୍କୁ ସେମାନଙ୍କ ବୟସ ଅନୁଯାୟୀ ଶିକ୍ଷା ଦେବା ଏବଂ ସେହି ଅଧାରରେ ସେମାନଙ୍କ ବିକାଶର ମୂଲ୍ୟାଙ୍କନ କରିବା ଉପରେ ଜୋର୍ ଦେବ |

👉 ଶିକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ବୟସ ବିଶିଷ୍ଠ ଶିକ୍ଷାଦାନକୁ ଆଧାର କରି ବିଦ୍ୟାଳୟ ଶିକ୍ଷାକୁ ଚାରୋଟି ପର୍ଯ୍ୟାୟରେ ବିଭକ୍ତ କରାଯିବ:

(i) ୩ ବର୍ଷରୁ ୮ ବର୍ଷ ବୟସ ପର୍ଯ୍ୟନ୍ତ ମୂଳଦୁଆ ପର୍ଯ୍ୟାୟ (5 ବର୍ଷ) : ପାଞ୍ଚ ବର୍ଷର ମୂଳଦୁଆ ପର୍ଯ୍ୟାୟର ଶିକ୍ଷାଦାନ ଅଙ୍ଗନୱାଡି (ପ୍ରି-ସ୍କୁଲ୍) ରୁ ଆରମ୍ଭ ହେବ ଏବଂ ଦ୍ୱିତୀୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିବ | ଏହା ବିଶେଷ ଭାବେ କାର୍ଯ୍ୟକଳାପ ଭିତ୍ତିକ ଶିକ୍ଷା ହେବ, ଅର୍ଥାତ୍ ପିଲାମାନେ ବିଭିନ୍ନ ଗତିବିଧି ଏବଂ କାର୍ଯ୍ୟକଳାପ ମାଧ୍ୟମରେ ବିଭିନ୍ନ ଜିନିଷ ଶିଖିବେ |

(ii) ୮ ରୁ ୧୧ ବର୍ଷ ପର୍ଯ୍ୟନ୍ତ ପ୍ରସ୍ତୁତି ପର୍ଯ୍ୟାୟ (3 ବର୍ଷ) : ଏହା ତୃତୀୟ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ହେବ | ପ୍ରସ୍ତୁତି ପର୍ଯ୍ୟାୟରେ ଛାତ୍ରଛାତ୍ରୀ ମାନଙ୍କର ଭାଷା ଜ୍ଞାନ ଏବଂ ସଂଖ୍ୟା ଓ ଗଣନା ଭିତ୍ତିକ କୌଶଳର ବିକାଶ ଉପରେ ଧ୍ୟାନ ଦିଆଯିବ |

(iii) ୧୧ ରୁ ୧୪ ବର୍ଷ ବୟସ ପର୍ଯ୍ୟନ୍ତ ମଧ୍ୟମ ପର୍ଯ୍ୟାୟରେ (3 ବର୍ଷ ) : ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟମ ପର୍ଯ୍ୟାୟରେ, ଅନ୍ୟାନ୍ୟ ବିଷୟ ସହିତ ବିଜ୍ଞାନ, ଗଣିତ, ହ୍ୟୁମାନିଟିଜ୍ (ମାନବୀୟ ବିଜ୍ଞାନ), ଏବଂ ସାମାଜିକ ବିଜ୍ଞାନର ଶିକ୍ଷା ଦିଆଯିବ |

(iv) ୧୪ ରୁ ୧୮ ବର୍ଷ ପର୍ଯ୍ୟନ୍ତ ମାଧ୍ୟମିକ ପର୍ଯ୍ୟାୟ (4 ବର୍ଷ) : ଅନ୍ତିମ ତଥା ମାଧ୍ୟମିକ ପର୍ଯ୍ୟାୟରେ ଦୁଇଟି ଚରଣ ରହିବ – ନବମ ଓ ଦଶମ ଶ୍ରେଣୀ  ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ |

ତେବେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଶାଲିନୀ ପଣ୍ଡିତ କହିଛନ୍ତି ଯେ-
ଶିକ୍ଷା ବ୍ୟବସ୍ଥାରେ ଏହି ପରିବର୍ତ୍ତନ (୧୦+୨ ରୁ ନୂତନ ଶିକ୍ଷା ଢାଞ୍ଚାକୁ ପରିବର୍ତ୍ତନ) ରାତାରାତି ଘଟିବ ନାହିଁ | ଏହା ପର୍ଯ୍ୟାୟକ୍ରମେ କରାଯିବ ଏବଂ ପ୍ରଥମ ପର୍ଯ୍ୟାୟରେ, ଆଗାମୀ ଶିକ୍ଷାବର୍ଷରେ ଅର୍ଥାତ ୨୦୨୫-୨୬ ନୂତନ ଶିକ୍ଷାବର୍ଷରେ ମୂଳଦୁଆ ପର୍ଯ୍ୟାୟରେ ଏହି ପରିବର୍ତ୍ତନ କାର୍ଯ୍ୟକାରୀ କରାଯିବ |

ବାକି ରହିଲା ଏନ.ସି.ଏଫ୍. କଥା, ତେବେ ଏ ନେଇ ସମ୍ପୃକ୍ତ ବିଭାଗ ଖୁବ୍ ଶୀଘ୍ର ରାଜ୍ୟ ପାଠ୍ୟକ୍ରମ ର ରୁପରେଖା ପ୍ରସ୍ତୁତ କରିବାପାଇଁ ଏକ କମିଟି ଗଠନ କରିବ | ଏଠାରେ ମଧ୍ୟ, ନୂତନ ପାଠ୍ୟକ୍ରମ ପ୍ରଥମେ NIPUN ଓଡିଶା ମିଶନ୍ ସହିତ ସମାନ୍ତରାଳ ଭାବରେ ପ୍ରାଥମିକ ସ୍ତରୀୟ ଶ୍ରେଣୀଗୁଡ଼ିକ ପାଇଁ ପ୍ରସ୍ତୁତ କରାଯିବ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ପିଲାମାନଙ୍କର ମୁଳଦୁଆ ବା ପ୍ରାରମ୍ଭିକ କୌଶଳ ମଜବୁତ କରିବା ହେବ | ଏହି ଉଦ୍ଦେଶ୍ୟକୁ ପୁରା କରିବାକୁ NCERT ସହିତ ମିଶି ସରକାର କାର୍ଯ୍ୟ କରିବା ଆରମ୍ଭ କରିସାରିଲେଣି |

👉 ଏହା ବ୍ୟତୀତ ଓଡିଶାରେ NEP କୁ ସୁଚାରୁ ରୁପେ କାର୍ଯ୍ୟକ୍ଷମ କରାଇବା ପାଇଁ ରାଜ୍ୟ ସରକାର ଜାନୁୟାରୀ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଏକ ଜାତୀୟ ସମ୍ମିଳନୀର ଆୟୋଜନ କରିବାକୁ ଯାଉଛନ୍ତି |

👉 ଏହି ସମ୍ମିଳନୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, NCERTର ନିର୍ଦ୍ଦେଶକ ଶ୍ରୀ ଦୀନେଶ ପ୍ରସାଦ ସକଲାନି ଏବଂ NEP-2020 ର ଫ୍ରେମୱାର୍କ ପ୍ରସ୍ତୁତ କରିବାରେ ସହଯୋଗ କରିଥିବା ଅନ୍ୟାନ୍ୟ ଶିକ୍ଷାବିତ୍ ମାନେ ମଧ୍ୟ ଯୋଗଦେବେ |

Leave a comment