Top 10 ପାଠ - ଖବର KahuchiTBW(03.08.2026)

1.ସବୁ ବିଦ୍ୟାଳୟରେ ପାଳନ ହେବ ‘ସ୍କୁଲ୍ ସୁରକ୍ଷା ସପ୍ତାହ’

ବର୍ଷା ଋତୁରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଓସେପା (OSEPA) ର ନିର୍ଦ୍ଦେଶ

03 August 2026

KahuchiTBW: ରାଜ୍ୟର ସମସ୍ତ ବିଦ୍ୟାଳୟରେ ବର୍ଷା ଋତୁକୁ ଦୃଷ୍ଟିରେ ରଖି ‘ସ୍କୁଲ୍ ସୁରକ୍ଷା ସପ୍ତାହ’ ପାଳନ କରିବାକୁ ଓସେପା (OSEPA) ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲଗୁଡ଼ିକରେ କୋଠାବାଡ଼ିର ସୁରକ୍ଷା ଅଡିଟ୍ ସହ 6 ଦିନିଆ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିପାଇଁ ପ୍ରତି ସରକାରୀ ସ୍କୁଲକୁ 2000 ଟଙ୍କା ଅନୁଦାନ ମିଳିବ। ଏହି ଅବସରରେ ପରିସର ସଫେଇ, ବିପଦପୂର୍ଣ୍ଣ ସ୍ଥାନର ମରାମତି, ଅଗ୍ନି ନିର୍ବାପକ ଯନ୍ତ୍ର ଯାଞ୍ଚ ଏବଂ ଛାତ୍ରଛାତ୍ରୀଙ୍କୁ ସଡ଼କ ଓ ସାଇବର ସୁରକ୍ଷା ପ୍ରଶିକ୍ଷଣ ଦିଆଯିବ। କାର୍ଯ୍ୟ ଶେଷ ହେବାର ଗୋଟିଏ ମାସ ମଧ୍ୟରେ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି।

2. ନିଟ୍ ପିଜି-2026 ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ: ଗୋଟିଏ ପର୍ଯ୍ୟାୟରେ ହେବ ପରୀକ୍ଷା

ନିଜ ରାଜ୍ୟରେ ମିଳିବ ପରୀକ୍ଷା କେନ୍ଦ୍ର ଚୟନ କରିବାର ସୁଯୋଗ

03 August 2026

KahuchiTBW: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଟ୍-ପିଜି 2026 (NEET-PG 2026) ପରୀକ୍ଷା ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି। ଏହି ପରୀକ୍ଷା ଆସନ୍ତା 30 ଅଗଷ୍ଟ 2026 ରେ ସାରା ଦେଶରେ ଗୋଟିଏ ପର୍ଯ୍ୟାୟରେ କମ୍ପ୍ୟୁଟର୍ଭିତ୍ତିକ ପରୀକ୍ଷା (CBT) ଭାବେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ ଏବେ ନିଜ ରାଜ୍ୟ ସହିତ 3 ଟି ପସନ୍ଦର ରାଜ୍ୟ ପରୀକ୍ଷା କେନ୍ଦ୍ର ଭାବେ ବାଛିପାରିବେ। ପରୀକ୍ଷାର ସ୍ୱଚ୍ଛତା ଓ ନିରପେକ୍ଷତା ବଜାୟ ରଖିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

3. ସପ୍ତମ ଶ୍ରେଣୀ କବିତା ‘କଳାମାଣିକରେ’ ର ସୁମଧୁର ଗାୟନ ଉପଲବ୍ଧ

ଜମ୍ବୋ ଇ-ସ୍କୁଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମାତା ଯଶୋଦାଙ୍କ ବାତ୍ସଲ୍ୟ ମମତାର ସୁନ୍ଦର ବର୍ଣ୍ଣନା

03 August 2026

KahuchiTBW: ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ଅଧିକ ସରସ ଓ ମଜାଦାର କରିବା ଉଦ୍ଦେଶ୍ୟରେ ଜମ୍ବୋ ଇ-ସ୍କୁଲ୍ (Jumbo e-school) ୟୁଟ୍ୟୁବ୍ ଚ୍ୟାନେଲ୍ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇଛି। 7ମ ଶ୍ରେଣୀ 'ସାହିତ୍ୟ ସୁମନ' ପୁସ୍ତକର ପ୍ରଥମ ଅଧ୍ୟାୟ ତଥା କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ଦ୍ୱାରା ରଚିତ "କଳାମାଣିକରେ" କବିତାକୁ ଏକ ସୁମଧୁର ଗୀତ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। ଏହି କବିତାରେ ମାତା ଯଶୋଦାଙ୍କର ଶ୍ରୀକୃଷ୍ଣଙ୍କ ପ୍ରତି ଥିବା ଅତୁଳନୀୟ ବାତ୍ସଲ୍ୟ ମମତାକୁ ନିଖୁଣ ଭାବେ ବର୍ଣ୍ଣନା କରାଯାଇଛି। ପିଲାମାନଙ୍କ ଶିକ୍ଷାଦାନକୁ ସହଜ କରିବା ପାଇଁ ପ୍ରସ୍ତୁତ ଏହି ଭିଡିଓଟିକୁ ଦେଖି କମେଣ୍ଟ ମାଧ୍ୟମରେ ମତାମତ ଦେବା ସହ ଭିଡିଓକୁ ଲାଇକ୍, ସେୟାର୍ ଏବଂ ଚ୍ୟାନେଲ୍କୁ ସବ୍ସ୍କ୍ରାଇବ୍ କରିବାକୁ ଅନୁରୋଧ କରାଯାଇଛି।

4. ବନ୍ୟା ସ୍ଥିତି ଯୋଗୁଁ ଯୁକ୍ତ-3 ଆଡମିସନ୍ ସମୟସୀମା ବୃଦ୍ଧି

ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଉଚ୍ଚଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି

03 August 2026

KahuchiTBW: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତି ଯୋଗୁଁ ଉଚ୍ଚଶିକ୍ଷା ବିଭାଗ 2026-27 ଶିକ୍ଷାବର୍ଷ ପାଇଁ ଯୁକ୍ତ-3 (UG) ନାମଲେଖା ସମୟସୀମାକୁ ଘୁଞ୍ଚାଇଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ସୂଚନା ଅନୁସାରେ, ବନ୍ୟା ପ୍ରଭାବିତ ଅଞ୍ଚଳର ଛାତ୍ରଛାତ୍ରୀମାନେ ଯେପରି ନାମଲେଖାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ନାମଲେଖା ପ୍ରକ୍ରିୟାକୁ 05 ଅଗଷ୍ଟ 2026 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

5. ନିଶାମୁକ୍ତ ଯୁବ-ବିକଶିତ ଭାରତ ଅଭିଯାନ: 1 କୋଟିରୁ ଊର୍ଦ୍ଧ୍ବ ଯୁବପିଢ଼ି ନେଲେ ସଂକଳ୍ପ

ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ: ଛାତ୍ରଛାତ୍ରୀମାନେ ଶିକ୍ଷା ଓ ଖେଳକୁଦରେ ମନୋନିବେଶ କରନ୍ତୁ

03 August 2026

KahuchiTBW: ରାଜ୍ୟରେ ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନରେ 1 କୋଟିରୁ ଉର୍ଦ୍ଧ୍ବ ଯୁବକଯୁବତୀ ସାମିଲ ହୋଇ ଶପଥ ଗ୍ରହଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଛାତ୍ରସମାଜକୁ ନିଶାଦ୍ରବ୍ୟଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଅପାର ଶକ୍ତିକୁ କ୍ଲାସରୁମ ଏବଂ ଖେଳପଡ଼ିଆରେ ନିୟୋଜିତ କରି ନିଜର ଭବିଷ୍ୟତ ଗଠନ ସହ ଦେଶର ବିକାଶରେ ଭାଗିଦାର ହେବାକୁ ଆହ୍ୱାନ ଦେଇଛନ୍ତି।

6. ଓଡ଼ିଶାର 15 ଟି ଅନୁଷ୍ଠାନରେ ଆରମ୍ଭ ହେଲା ITEP ପାଠପଢ଼ା

ଜାତୀୟ ଶିକ୍ଷା ନୀତି (NEP 2020) ଅଧୀନରେ 4-ବର୍ଷିଆ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ

03 August 2026

KahuchiTBW: ଜାତୀୟ ଶିକ୍ଷା ନୀତି 2020 (NEP 2020) ଅଧୀନରେ ଓଡ଼ିଶାର 15 ଟି ପ୍ରମୁଖ ଉଚ୍ଚଶିକ୍ଷା ଅନୁଷ୍ଠାନରେ 4-ବର୍ଷିଆ ସମନ୍ୱିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ITEP) ର ପ୍ରଥମ ବର୍ଷ କ୍ଲାସ୍ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି। ଏହି ନୂତନ ପାଠ୍ୟକ୍ରମ ଦ୍ୱାରା ଗୁଣାତ୍ମକ ଶିକ୍ଷକ ପ୍ରସ୍ତୁତ କରାଯିବ ଏବଂ ଛାତ୍ରଛାତ୍ରୀମାନେ ଯୁକ୍ତ-2 ପରେ ସିଧାସଳଖ ଶିକ୍ଷକ ପ୍ରଶିକ୍ଷଣ ଡିଗ୍ରୀ ହାସଲ କରିପାରିବେ।

7. ଦେଶ ଓ ରାଜ୍ୟରେ ସିଙ୍ଗଲ୍-ଟିଚର ସ୍କୁଲକୁ ନେଇ ଚିନ୍ତା: ୟୁଡାଇସ୍ (UDISE) ରିପୋର୍ଟ

1 ଲକ୍ଷରୁ ଅଧିକ ବିଦ୍ୟାଳୟ ଜଣେ ଶିକ୍ଷକଙ୍କ ଭରସାରେ

03 August 2026

KahuchiTBW: ସଦ୍ୟପ୍ରକାଶିତ ୟୁଡାଇସ୍ (UDISE) ରିପୋର୍ଟ ଅନୁଯାୟୀ, ସାରା ଦେଶରେ 1 ଲକ୍ଷ 843 ଟି ସ୍କୁଲ କେବଳ ଜଣେ ଶିକ୍ଷକଙ୍କ ଦ୍ୱାରା ପରିଚାଳିତ ହେଉଛି। ଓଡ଼ିଶାରେ ମଧ୍ୟ ଏକକ ଶିକ୍ଷକ ବିଦ୍ୟାଳୟ ସଂଖ୍ୟା 34% ବୃଦ୍ଧି ପାଇଛି। ଏହା ପ୍ରାଥମିକ ଶିକ୍ଷାର ଗୁଣାତ୍ମକ ମାନ ଓ ଶିକ୍ଷା ଭିତ୍ତିଭୂମି ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

8. ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସ୍ଥାନ ପାଇବ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଜୀବନୀ

ଯୁବପିଢ଼ିଙ୍କୁ ନୈତିକ ଓ ଆଧ୍ୟାତ୍ମିକ ପ୍ରେରଣା ଦେବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

03 August 2026

KahuchiTBW: ଓଡ଼ିଶା ରାଜ୍ୟ ସରକାର ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ବିଶିଷ୍ଟ ସମାଜ ସଂସ୍କାରକ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଜୀବନୀ, ସମାଜସେବା ଏବଂ ଅବଦାନକୁ ସାମିଲ କରିବାକୁ ଘୋଷଣା କରିଛନ୍ତି। ଯୁବପିଢ଼ିଙ୍କ ମଧ୍ୟରେ ନୈତିକ ଶିକ୍ଷା, ସାମାଜିକ ଦାୟିତ୍ୱବୋଧ ଏବଂ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିବା ଏହି ନିଷ୍ପତ୍ତିର ମୁଖ୍ୟ ଲକ୍ଷ୍ୟ। ଚଳିତ ଶିକ୍ଷାବର୍ଷରୁ ଏହାକୁ ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ କରାଯିବ।

9. ପିଜି ଆଡ଼ମିଶନ ବିଜ୍ଞପ୍ତି: 27 ଜୁଲାଇରୁ ଲକିଂ, ଅଗଷ୍ଟ 7 ରେ ମେଧା ତାଲିକା

ଅଗଷ୍ଟ 21 ରୁ ଆରମ୍ଭ ହେବ ପ୍ରଥମ ବର୍ଷ ପିଜି କ୍ଲାସ୍

03 August 2026

KahuchiTBW: ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ 2026-27 ଶିକ୍ଷାବର୍ଷ ନିମନ୍ତେ ପିଜି (PG) ନାମଲେଖା ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀମାନେ ଜୁଲାଇ 27 ରୁ ଅଗଷ୍ଟ 2 ତାରିଖ ମଧ୍ୟରେ ନିଜର ମାର୍କ ଅପଡେଟ୍ ଓ ଚଏସ୍ ଲକିଂ ପ୍ରକ୍ରିୟା ଶେଷ କରିପାରିବେ। ଆସନ୍ତା ଅଗଷ୍ଟ 7 ତାରିଖରେ ଏଥିପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ଅଗଷ୍ଟ 21 ତାରିଖରୁ ପ୍ରଥମ ବର୍ଷ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ନୂତନ କ୍ଲାସ୍ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

10. ଓଡ଼ିଶା ସରକାର ସଂଶୋଧିତ ସ୍କୁଲ୍ ପାଠ୍ୟପୁସ୍ତକ ପ୍ରଦାନ କରିବେ

ବହିରେ ଥିବା ତ୍ରୁଟିକୁ ନେଇ ସମାଲୋଚନା ପରେ ସରକାରଙ୍କ ପଦକ୍ଷେପ

03 August 2026

KahuchiTBW: ରାଜ୍ୟର ସରକାରୀ ସ୍କୁଲ୍ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ଥିବା ନେଇ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ହେବା ପରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାର ଏହି ସମସ୍ତ ତ୍ରୁଟିଗୁଡ଼ିକୁ ସୁଧାରି ଛାତ୍ରଛାତ୍ରୀମାନଙ୍କୁ ସଂଶୋଧିତ ନୂଆ ବହି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, 1ମ ରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ବହିଗୁଡ଼ିକରେ ପ୍ରାୟ 1678 ଟି ତ୍ରୁଟି ଚିହ୍ନଟ କରାଯାଇଛି। ଏବେ ବିଶେଷଜ୍ଞ କମିଟି ଦ୍ବାରା ଟିକନିଖି ଯାଞ୍ଚ କରାଯିବା ପରେ ଖୁବଶୀଘ୍ର ନୂଆ ବହି ଛପାଯାଇ ପିଲାମାନଙ୍କୁ ବଣ୍ଟନ କରାଯିବ।

Leave a comment