Top 10 ପାଠ - ଖବର KahuchiTBW(19.11.2026)

1. ମାଟ୍ରିକ୍ ଓ ପିଏମ୍ଏସଟି ଫର୍ମ ପୂରଣ ଅବଧି 30 ଯାଏ ଘୁଞ୍ଚିଲା

ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବୋର୍ଡର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

19 ନଭେମ୍ବର 2026

KahuchiTBW: 2027 ମାଟ୍ରିକ୍ (ରେଗୁଲାର ଓ ଏକ୍ସ-ରେଗୁଲାର), ମଧ୍ୟମା, ଷ୍ଟେଟ୍ ଓପନ ସ୍କୁଲ୍ (SOSC) ଏବଂ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି (PMST) ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ ଅବଧିକୁ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ମାଟ୍ରିକ୍ ଫର୍ମ ପୂରଣର ଶେଷ ତାରିଖ 21 ଓ ପିଏମ୍ଏସଟି ପାଇଁ 22 ତାରିଖ ଧାର୍ଯ୍ୟ ଥିଲା। ସୂଚନାଯୋଗ୍ୟ, ଆସନ୍ତା ମାର୍ଚ୍ଚ 12 ରୁ 27 ତାରିଖ ପର୍ଯ୍ୟନ୍ତ 5 ଲକ୍ଷ 50 ହଜାରରୁ ଅଧିକ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେବେ।

2. ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ‘ପ୍ରଜ୍ଞା ପ୍ରେରଣା’ କର୍ମଶାଳା ଅନୁଷ୍ଠିତ

‘ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିଛି ଏନ୍ଇପି’

19 ନଭେମ୍ବର 2026

KahuchiTBW: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱରରେ ‘ପ୍ରଜ୍ଞା ପ୍ରେରଣା’ କର୍ମଶାଳାର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ଜାତୀୟ ଶିକ୍ଷା ନୀତି-2020 (NEP) ରାଜ୍ୟର ଉଚ୍ଚଶିକ୍ଷାକୁ ସୁଦୃଢ଼ କରିଛି। ସ୍ନାତକ ସ୍ତରରେ 1 ଲକ୍ଷ 60 ହଜାର 707 ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ମିଳିଛି। ଏହାସହ ଜ୍ଞାନୋଦୟ ଯୋଜନାରେ କେଜିରୁ ପିଜି ମାଗଣା ଶିକ୍ଷା, ‘ଓଡ଼ିଶା ଶିକ୍ଷା ନେଟ୍’ ମାଧ୍ୟମରେ କଲେଜରେ ମାଗଣା ୱାଇଫାଇ ଏବଂ ଶ୍ରେଷ୍ଠ 10ଟି ପ୍ରକଳ୍ପକୁ 5 ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

3. ତୃତୀୟ ଶ୍ରେଣୀ ‘ଗଣିତ ମେଳା’ର ପ୍ରଥମ ଅଧ୍ୟାୟ ଆଲୋଚନା

‘ନାମରେ କ'ଣ ଅଛି ?’ ବିଷୟର ସରଳ ଉପସ୍ଥାପନା

19 ନଭେମ୍ବର 2026

KahuchiTBW: ଚଳିତ ବର୍ଷର ତୃତୀୟ ଶ୍ରେଣୀ (Class 3) ଗଣିତ ବହି ‘ଗଣିତ ମେଳା’ର ପ୍ରଥମ ଅଧ୍ୟାୟ ‘ନାମରେ କ'ଣ ଅଛି ?’ର ସମ୍ପୂର୍ଣ୍ଣ ବିଷୟବସ୍ତୁ ସରଳ ଓଡ଼ିଆରେ ଆଲୋଚନା କରାଯାଇଛି। ଏଥିରେ ଗାର ଟାଣି ଗଣନା, ନାମର ଅକ୍ଷର ଗଣନା ଓ ତୁଳନା, ସଂଖ୍ୟା କାର୍ଡ ଖେଳ, ଗାଣିତିକ ଧନ୍ଦା, ବସ୍ତୁଗୁଡ଼ିକର ବର୍ଗୀକରଣ ଏବଂ କେଶ ସଜ୍ଜା ଭଳି ଅଭ୍ୟାସ କାର୍ଯ୍ୟକୁ ସହଜରେ ବୁଝାଯାଇଛି। ଏହା ପିଲାଙ୍କ ଗାଣିତିକ ଚିନ୍ତାଧାରା ଓ ପରୀକ୍ଷା ପ୍ରସ୍ତୁତିରେ ସହାୟକ ହେବ। ଅଧିକ ଭିଡିଓ ପାଇଁ Jumbo E School ୟୁଟ୍ୟୁବ୍ ଚ୍ୟାନେଲ୍ ଓ www.tbwodisha.com ଭିଜିଟ୍ କରନ୍ତୁ।

4. ‘ଜୁନିୟର ଆସିଷ୍ଟାଣ୍ଟ’ ଓ ‘ଜୁନିୟର କ୍ଲର୍କ’ ପରୀକ୍ଷା ସ୍ଥଗିତ

ଧାର୍ଯ୍ୟ ତାରିଖରେ ହେବ ସିବିଟି

19 ନଭେମ୍ବର 2026

KahuchiTBW: ‘ଅକଭାନ୍’ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ଚୟନ ବୋର୍ଡ (SSB) ପକ୍ଷରୁ ଆସନ୍ତା ନଭେମ୍ବର 21 ଓ 23 ତାରିଖରେ ହେବାକୁ ଥିବା ‘ଜୁନିୟର ଆସିଷ୍ଟାଣ୍ଟ’ ଏବଂ ‘ଜୁନିୟର କ୍ଲର୍କ’ ନିଯୁକ୍ତି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ତେବେ ନଭେମ୍ବର 25, 27 ଏବଂ ଡିସେମ୍ବର 1 ଓ 2 ତାରିଖରେ ହେବାକୁ ଥିବା କମ୍ପ୍ୟୁଟର ବେସଡ୍ ଟେଷ୍ଟ (CBT) ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଅନୁଷ୍ଠିତ ହେବ। ସ୍ଥଗିତ ରଖାଯାଇଥିବା ପରୀକ୍ଷାର ନୂତନ ତାରିଖ ସମ୍ପର୍କରେ ପରବର୍ତ୍ତୀ ସମୟରେ ସୂଚନା ଦିଆଯିବ ବୋଲି ବୋର୍ଡ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

5. ବାତ୍ୟା ‘ଅକବାନ’: 8 ଜିଲାରେ ସ୍କୁଲ ଛୁଟି

22 ଯାଏ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

19 ନଭେମ୍ବର 2026

KahuchiTBW: ବାତ୍ୟା ‘ଅକବାନ’କୁ ଦୃଷ୍ଟିରେ ରଖି ରାଜ୍ୟର 8ଟି ଜିଲା (ମାଲକାନଗିରି, ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କନ୍ଧମାଳ ଓ ଖୋରଧା)ରେ ନଭେମ୍ବର 19 ରୁ 21 ତାରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇଛି। ଶିଶୁବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବାକୁ ଥିବାବେଳେ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିବେ। ଅପରପକ୍ଷେ, ଜରୁରୀକାଳୀନ ସ୍ଥିତି ପାଇଁ 18 ରୁ 22 ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତଙ୍କୁ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

6. 48 ସରକାରୀ ଡିଗ୍ରୀ କଲେଜରେ ରହିବେ ସ୍ଥାୟୀ ଅଧ୍ୟକ୍ଷ

ନୂତନ ପଦବି ସୃଷ୍ଟି ପାଇଁ ମିଳିଲା ସରକାରୀ ମଞ୍ଜୁରି

19 ନଭେମ୍ବର 2026

KahuchiTBW: ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା 48ଟି ସରକାରୀ ଡିଗ୍ରୀ କଲେଜରେ ସ୍ଥାୟୀ ଅଧ୍ୟକ୍ଷ ପଦବି ସୃଷ୍ଟି ପାଇଁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି। ଅର୍ଥ ବିଭାଗର ସହମତି ପରେ ଏହି ପଦବିଗୁଡ଼ିକ ଓଡ଼ିଶା ଶିକ୍ଷା ସେବା ଢାଞ୍ଚା ଓ 2020 ନିଯୁକ୍ତି ନିୟମାବଳୀ ଅନୁଯାୟୀ ପରିଚାଳିତ ହେବ। ଯୋଗ୍ୟ ପ୍ରାଧ୍ୟାପକମାନଙ୍କୁ ଏହି ଅଣ-ବିଷୟଭିତ୍ତିକ ପ୍ରଶାସନିକ ପଦବିରେ ଅବସ୍ଥାପିତ କରାଯିବ। ଏହି ତାଲିକାରେ ଭୁବନେଶ୍ୱରର ବିଜେବି ଓ ରାଜଧାନୀ, କଟକର ଶୈଳବାଳା ମହିଳା, ପୁରୀର ଏସ୍ସିଏସ୍ ଏବଂ ବାଲେଶ୍ୱରର ଏଫ୍ଏମ୍ ଭଳି ପ୍ରମୁଖ କଲେଜ ରହିଛି।

7. 742 ଡିଗ୍ରୀ କଲେଜର ପ୍ରସ୍ତୁତ ହେବ ଉଇକିପିଡ଼ିଆ ପେଜ୍

ଶିକ୍ଷାନୁଷ୍ଠାନର ସଠିକ୍ ତଥ୍ୟ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ

19 ନଭେମ୍ବର 2026

KahuchiTBW: ରାଜ୍ୟର 742ଟି ଡିଗ୍ରୀ କଲେଜ ସମ୍ପର୍କିତ ସଠିକ୍ ତଥ୍ୟର ଅଭାବ ଦୂର କରିବା ପାଇଁ ଓଡ଼ିଶା ସରକାର ଏକ ନୂତନ ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଏହି ସମସ୍ତ ଶିକ୍ଷାନୁଷ୍ଠାନର ଇଂରାଜୀ ଓ ଓଡ଼ିଆ ଭାଷାରେ ଉଇକିପିଡ଼ିଆ ପେଜ୍ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ କଲେଜଗୁଡ଼ିକ ବିଷୟରେ ସହଜରେ ନିର୍ଭୁଲ ତଥ୍ୟ ପାଇପାରିବେ। ଏକ ଚୟନିତ ସଂସ୍ଥା ଆସନ୍ତା 3 ବର୍ଷ ପର୍ଯ୍ୟନ୍ତ ଏହି ପେଜ୍ଗୁଡ଼ିକର ତଥ୍ୟ ଯାଞ୍ଚ ଓ ପରିଚାଳନା କରିବ ବୋଲି ଜଣାପଡ଼ିଛି।

8. ଏନଇପି 2020 ଓଡ଼ିଶାର ଉଚ୍ଚଶିକ୍ଷାରେ ଆଣୁଛି ବ୍ୟାପକ ପରିବର୍ତ୍ତନ

ବହୁମୁଖୀ ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ

19 ନଭେମ୍ବର 2026

KahuchiTBW: ଜାତୀୟ ଶିକ୍ଷା ନୀତି (NEP) 2020 ଅନୁଯାୟୀ ନିଆଯାଇଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଓଡ଼ିଶାର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରୁଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ବିଶେଷକରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ନିମନ୍ତେ ବହୁମୁଖୀ ଅଧ୍ୟୟନ, ଦକ୍ଷତା ବିକାଶ ଏବଂ ନବସୃଜନ ଉପରେ ରାଜ୍ୟ ସରକାର ବିଶେଷ ଗୁରୁତ୍ୱ ଦେଉଥିବା ମନ୍ତ୍ରୀ ପ୍ରକାଶ କରିଛନ୍ତି।

9. ଡ୍ରପ୍ଆଉଟ୍ ହ୍ରାସ ପାଇଁ ଉଚ୍ଚଶିକ୍ଷା ବିଭାଗର ନୂଆ ଅଭିଯାନ

ବିଗତ 10 ବର୍ଷର ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବେ କଲେଜ

19 ନଭେମ୍ବର 2026

KahuchiTBW: ଜାତୀୟ ଶିକ୍ଷା ନୀତି (NEP) ଅନୁଯାୟୀ ରାଜ୍ୟରେ ଡ୍ରପ୍ଆଉଟ୍ ସଂଖ୍ୟା କମାଇବା ପାଇଁ ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ନୂଆ ଅଭିଯାନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ରାଜ୍ୟର ସମସ୍ତ କଲେଜଗୁଡ଼ିକ ବିଗତ 10 ବର୍ଷର ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କ ତାଲିକା ପ୍ରସ୍ତୁତ କରିବେ। ଅଧାରୁ ପାଠ ଛାଡ଼ିଥିବା ପିଲାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପୁନର୍ବାର ଶିକ୍ଷାର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଏବଂ ରାଜ୍ୟରେ ଉଚ୍ଚଶିକ୍ଷା ହାର ବୃଦ୍ଧି କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ ରହିଛି।

10. ‘ଉମଙ୍ଗ 2026’: ସ୍କୁଲ ଓ କଲେଜରେ ପଢ଼ାଯିବ ନିଶା ନିବାରଣ ପାଠ୍ୟକ୍ରମ

ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

19 ନଭେମ୍ବର 2026

KahuchiTBW: ରାଜ୍ୟ ସରକାର ଓ ଆର୍ଟ ଅଫ୍ ଲିଭିଂ ଫାଉଣ୍ଡେସନର ମିଳିତ ଆୟୋଜନରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ‘ଉମଙ୍ଗ 2026’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସ୍ୱତନ୍ତ୍ର ନିଶା ନିବାରଣ ସଚେତନତା ମଡ୍ୟୁଲ୍ ସାମିଲ କରାଯିବ। ଏହି ଅବସରରେ ଯୋଗଦେଇ ଶ୍ରୀ ଶ୍ରୀ ରବିଶଙ୍କର ରାଜ୍ୟର ଯୁବପିଢ଼ିଙ୍କୁ ନିଶାରୁ ଦୂରେଇ ରହି ଏକ ସୁସ୍ଥ ସମାଜ ଗଠନ କରିବାକୁ ଆହ୍ୱାନ ଦେଇଥିଲେ।

Leave a comment