ଟିବିଡବ୍ଲ୍ୟୁ ସ୍ଟୁଡେଣ୍ଟସ ପ୍ରିମିଅର୍ କ୍ରିକେଟ୍ ଲିଗ୍ ସିଜିନ୍-୨: କନ୍ଧମାଳର ଶ୍ରବଣ କୁମାର ଶ୍ରେଷ୍ଠ ଖେଳାଳୀ
ମେ 12 ତାରିଖରେ ଶେଷ ହୋଇଛି ଟିବିଡବ୍ଲ୍ୟୁ ସ୍ଟୁଡେଣ୍ଟସ ପ୍ରିମିଅର୍ କ୍ରିକେଟ୍ ଲିଗ୍-ର ଦ୍ଵିତୀୟ ସଂସ୍କରଣ | ଶେଷଦିନରେ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା |
ଅୟୋଜକମାନଙ୍କ ନିମନ୍ତ୍ରଣ କ୍ରମେ ମୁଖ୍ୟ ଅତିଥିଭାବେ ଉପସ୍ଥିତ ହୋଇ ଖେଳାଳୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ରାଜ୍ୟର ଉଚ୍ଚ ଶିକ୍ଷା, ଖେଳ ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ସୁର୍ୟବଂଶୀ ସୁରଜ୍, ବଡଚଣାର ବିଧାୟକ ଶ୍ରୀ ଅମର ନାୟକ, ଯାଜପୁର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଦେବଯାନୀ ପ୍ରଧାନ, ଏବଂ ଓପିଏସ୍-ସି ର ପୁର୍ବତନ ଚେଅରମ୍ୟାନ୍ ଏବଂ ଆସ୍ଥା ଆଲୋକର ସେକ୍ରେଟେରୀ ଶ୍ରୀ ସତ୍ୟକାମ ମିଶ୍ର | ଛତିଆ ସ୍ଥିତ ଅମୋଘା ସ୍କାଇବକ୍ସ ଷ୍ଟାଡିଅମରେ ଖେଳାଳୀମାନଙ୍କ ଉତ୍ସାହକୁ ଦେଖି ପିଲାଙ୍କ ସହିତ ପିଲା ହୋଇଯାଇଥିଲେ ଅତିଥିମାନେ | ପିଲାଙ୍କ ଅନୁରୋଧ କ୍ରମେ ସମସ୍ତେ ତାଙ୍କ ସହିତ କ୍ରିକେଟ ଖେଳିଥିଲେ | ଏହି ଦୃଶ୍ୟକୁ ଦେଖି ଛାତ୍ରଛାତ୍ରୀ ଭାବ ବିହ୍ଵଳ ହୋଇଯାଇଥିଲେ ଓ ସେମାନଙ୍କ ଆଶୀର୍ବାଦ ନେଇଥିଲେ |
ଶ୍ରୀ ସୁର୍ୟବଂଶୀ ସୁରଜ୍, ପିଲାମାନଙ୍କୁ ପଢ଼ା ସହିତ ଖେଳକୁଦ, ଏକ୍ସଟ୍ରା-କରିକୁଲାର ଏବଂ ସମାଜ ପ୍ରତି ନିଜର ଦାୟିତ୍ୱ ପ୍ରତି ଧ୍ୟାନ ଦେବାକୁ ଉତ୍ସାହିତ କରିଥିଲେ | ଏଥି ସହିତ ସେ କହିଥିଲେ ଯେ ନୂତନ ଶିକ୍ଷାନୀତିରେ ଏ ସମସ୍ତ ବିଷୟରେ କ୍ରେଡିଟ ମିଳିବ | ତେଣୁ ନିଜର ପସନ୍ଦର କାମ ସମ୍ପୂର୍ଣ୍ଣ ମନଯୋଗ ସହକାରେ କରି ସେହି କାର୍ଯ୍ୟରେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ଚେଷ୍ଟା କରିବାପାଇଁ ସେ ପିଲାମାନଙ୍କୁ ପ୍ରେରଣା ଦେଇଥିଲେ | ସେ କହିଥିଲେ “ଘୋଡ଼ା ଚଢ଼ କି ଘାଷ କାଟ, ସବୁଥିରେ ଶ୍ରେଷ୍ଠ ହେବାକୁ ଚେଷ୍ଟା କର | ନିଜ ଦେଶ ଏବଂ ରାଜ୍ୟକୁ ବିଶ୍ୱ ଦରବାରରେ ସମ୍ମାନିତ କର ଏବଂ ନିଜର ନୂତନ ପରିଚୟ ସୃଷ୍ଟି କର |” ଏସବୁ ବ୍ୟତୀତ କ୍ରିକେଟ ଖେଳକୁ ଏକ ନୂତନ ଅବଧାରଣା ଦେଉଥିବା ଏବଂ ଖେଳାଳୀ ମାନଙ୍କୁ ରାଜ୍ୟସ୍ଥରରେ ପରିଚିତ କରିବାକୁ ପ୍ରୟାସ କରୁଥିବା ଟିବିଡବ୍ଲ୍ୟୁ ସ୍ଟୁଡେଣ୍ଟସ ପ୍ରିମିଅର୍ ଲିଗ୍-କୁ ସାଧୁବାଦ ଦେବା ସହିତ, ଏଥିରେ ବାଳିକା ଖେଳାଳି ମାନଙ୍କୁ ମିଳୁଥିବା ପ୍ରୋତ୍ସାହନର ସେ ପ୍ରଶଂସା କରିଥିଲେ | ପୁଅ ଏବଂ ଝିଅ ମଧ୍ୟରେ କୌଣସି ପ୍ରଭେଦ ନାହିଁ | ଆମ ଝିଅମାନେ କୌଣସି କ୍ଷେତ୍ରରେ କମ ନୁହେଁ | ସେମାନେ ପୂର୍ଣ୍ଣ ସକ୍ଷମ ଏବଂ ବାଳିକା ମାନଙ୍କୁ ମିଳୁଥିବା ପ୍ରୋତ୍ସାହନ ପୁରା ସମାଜ ଉପରେ ପ୍ରଭାବ ପକାଇବ ବୋଲି ଶ୍ରୀ ସୁର୍ୟବଂଶୀ ସୁରଜ୍ ମତ ବ୍ୟକ୍ତ କରିଥିଲେ |
ମେଣ୍ଟର ଆଶୁତୋଷ ଦାସଙ୍କ ପ୍ରଶ୍ନ- “ଆମ ରାଜ୍ୟର ପ୍ରତିଭାମାନେ କ୍ରିକେଟ ଖେଳରେ ଏତେ ଆଗକୁ ଆସି ପାରୁନାହାନ୍ତି କାହିଁକି ?” ଏହାର ଉତ୍ତରରେ ଶ୍ରୀ ସୁରଜ କହିଥିଲେ ଯେ କ୍ରିକେଟ ଯେହେତୁ ଅଲମ୍ପିକରେ ସାମିଲ ଖେଳ ନୁହେଁ, ରାଜ୍ୟ ସରକାର ସେଥିରେ ଏତେ ହସ୍ତକ୍ଷେପ କରନ୍ତି ନାହିଁ | କ୍ରିକେଟ ଖେଳ ବିଷୟ ମୁଖ୍ୟତଃ କ୍ରିକେଟ ଆସୋସିଏସନ ବୁଝାବୁଝି କରେ | ତେଣୁ ଖେଳକୁ ପ୍ରମୋଟ କରିବା ଆସୋସିଏସନ ହାତରେ ହିଁ ଅଛି | ଏଥିପାଇଁ ପ୍ରୋତ୍ସାହନ ଆବଶ୍ୟକ ଏବଂ ଟିବିଡବ୍ଲ୍ୟୁ ଏ ଦିଗରେ ଏକ ଭଲ ପ୍ରୟାସ କରିଛି | ସେ ଆହୁରି ମଧ୍ୟ କହିଥିଲେ ଯେ ବର୍ତ୍ତମାନ ରାଜ୍ୟ ସରକାର ମଧ୍ୟ ପ୍ରତି ବ୍ଲକରେ ସ୍ପୋର୍ଟସ କମ୍ପ୍ଲେକ୍ସମାନ ଗଠନ କରିବା ପାଇଁ ପୁଞ୍ଜି ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି |
ସେହିଭଳି ବିଧାୟକ ଶ୍ରୀ ଅମର ନାୟକ ଏବଂ ଯାଜପୁର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଦେବଯାନୀ ପ୍ରଧାନ ମଧ୍ୟ ପିଲାମାନଙ୍କୁ ନିଜର ସ୍ୱାସ୍ଥ୍ୟ ଏବଂ ଫିଟନେସ ଉପରେ ଗୁରୁତ୍ୱ ଦେବାକୁ ଉପଦେଶ ଦେବା ସହିତ, ଟିବିଡବ୍ଲ୍ୟୁ ଲୁକାୟିତ ପ୍ରତିଭାମାନଙ୍କୁ ଆଗକୁ ଆଣିବାର କାମ କରିଛି ବୋଲି ମତ ବ୍ୟକ୍ତ କରିଥିଲେ |
ଟିବିଡବ୍ଲ୍ୟୁର ଏମଡ଼ି ଶ୍ରୀ ଦେବୀ ପ୍ରସାଦ ଶର୍ମା ଏହି ଟୁର୍ଣ୍ଣାମେଣ୍ଟରେ ଆସ୍ଥା ଆଲୋକ ଫାଉଣ୍ଡେସନର ଚେୟାରମ୍ୟାନ ଶ୍ରୀ ପ୍ରକାଶ ମିଶ୍ରଙ୍କୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବାକୁ ଉପସ୍ଥିତ ହେବା ପାଇଁ ଧନ୍ୟବାଦ ଜଣାଇଥିଲେ | ଶ୍ରୀ ପ୍ରକାଶ ମିଶ୍ର ଖେଳାଳିମାନଙ୍କ ଉତ୍ସାହ ଦେଖି ତାଙ୍କୁ ନିଜ ପିଲାଦିନର କଥା ମନେ ପଡିଯାଉଛି ବୋଲି କହିଥିଲେ | ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆୟୋଜିକା ଶ୍ରୀମତୀ ସଂଦୀପା ଦାସ ଆସ୍ଥା ଆଲୋକ ଦ୍ୱାରା ପ୍ରତିଦିନ କଟକର ଶିଶୁଭବନରେ ରୋଗୀମାନଙ୍କ ସହିତ ଆସୁଥିବା ସମ୍ପର୍କୀୟଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବାର ଅଭିନବ ପ୍ରୟାସକୁ ପ୍ରଶଂସା କରିଥିଲେ |
ମେ 8 ରୁ 12 ତାରିଖ ଯାଏଁ ଅନୁଷ୍ଠିତ ହୋଇଥିବା ଏହି ପ୍ରିମିଅର ଲିଗରେ ଭାଗ ନେଇଥିଲେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରତିଭାଶାଳୀ ଖେଳାଳି ମାନେ | ଆଶୁତୋଷ ଦାସ, ଦେବୀ ସେନ, ସ୍ମାରକ ପଟ୍ଟନାୟକ, ସୁଦୀପ ଶର୍ମା, ପ୍ରତୀକ ପଟ୍ଟନାୟକ, ଜୟରାମ ରଥ, ବିନୋଦ ବେହେରା, ଧନଞ୍ଜୟ ବାରିକ, ଦେବାଶିଷ ରାଉତ, ସନାତନ ଜଗମୋହନ, ଅମ୍ରିତ ଦାସ ଏବଂ ଅସ୍ମିତ ରାଉତ - ଏହି ୧୨ ଜଣ ଦକ୍ଷ ମେଣ୍ଟରଙ୍କ ତତ୍ତ୍ୱାବଧାନରେ ଛତିଆସ୍ଥିତ ଅମୋଘା ମେଗା ସ୍କାଏ ବକ୍ସ୍ କ୍ରିକେଟ୍ ଷ୍ଟାଡିଅମର ମଇଦାନକୁ ଓଲ୍ହାଇଥିଲେ ୧୨ଟି ଦଳ | ମେଣ୍ଟରମାନେ ପଏଣ୍ଟ ବିନିମୟରେ ବିଡିଂ ପ୍ରକ୍ରିୟାରେ ଚୟନ କରିଥିଲେ ନିଜ ନିଜ ଦଳ ପାଇଁ କୁଶଳ ଖେଳାଳୀମାନଙ୍କୁ | ଚାମ୍ପିଆନ୍ ହେବାର ଦୌଡରେ ସାମିଲ ହୋଇଥିବା ୧୨ଟି ଦଳ ମଧ୍ୟରେ ହୋଇଥିଲା ୩୦ଟି ଲିଗ ମ୍ୟାଚ, ଯେଉଁଥିରେ ଉତ୍ତମ ପ୍ରଦର୍ଶନ କରି କ୍ଵାଟର ଫାଇନାଲକୁ ଯାଇଥିଲେ ୮ଟି ଦଳ |
ସେମିଫାଇନାଲ ପର୍ଯ୍ୟାୟକୁ ଯାଇଥିବା ଦଳ ଗୁଡିକ ହେଲେ ଅମୋଘା ଆଭେଞ୍ଜର୍ସ୍, ସିମିଳିପାଳ ଟାଇଗର୍ସ୍, ସୁପ୍ରିମ୍ ସ୍ପାର୍ଟନ୍ସ୍, ଏବଂ କଳିଙ୍ଗ ୱାରିଅର୍ସ୍ | ତେବେ ଏକ ରୋମାଞ୍ଚପୁର୍ଣ୍ଣ ଫାଇନାଲ୍-ରେ, ୩୩ ରନ୍-ରେ ସିମିଳିପାଳ ଟାଇଗର୍ସ୍ ଦଳକୁ ହରାଇ ଚାମ୍ପିଆନ୍ ହୋଇଥିଲେ ଧନଞ୍ଜୟଙ୍କ ସୁପ୍ରିମ୍ ସ୍ପାର୍ଟନ୍ସ୍ ଦଳ | ପ୍ରତିକଙ୍କ ସିମିଳିପାଳ ଟାଇଗର୍ସ୍ ଦଳ ପ୍ରଥମଥର ପାଇଁ ଏହି ସିରିଜରେ ଭାଗ ନେଇଥିଲେ କିନ୍ତୁ ତାଙ୍କ ଆତ୍ମବିଶ୍ଵାସ ପୁରୁଣା ଖେଳାଳୀ ମାନଙ୍କଠାରୁ କୌଣସି ପ୍ରକାରେ କମ ନଥିଲା |
ଏହି ମ୍ୟାଚରେ ମାତ୍ର ୧୪ବଲରେ ୬୨ରନ କରି ପ୍ଲେଅର ଅଫ ଦ ମ୍ୟାଚ ହୋଇଥିଲେ ସୁପ୍ରିମ୍ ସ୍ପାର୍ଟନ୍ସ୍ ର ଆଶିଷ ରଞ୍ଜନ ମଲ୍ଲିକ | ସେହିଭଳି ଟୁର୍ଣ୍ଣାମେଣ୍ଟରେ ନିଜର ପ୍ରଦର୍ଶନ ବଳରେ ସମସ୍ତଙ୍କ ମନ କିଣି ନେଇଥିଲେ କନ୍ଧମାଳର ଶ୍ରବଣ କୁମାର ଓ ସେ ଶ୍ରେଷ୍ଠ ଖେଳାଳି ବିବେଚତ ହୋଇଥିଲେ | ଶ୍ରବଣ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୫୩୧ରନ ସଂଗ୍ରହ କରିବା ସହିତ ୧୬ଗୋଟି ୱିକେଟ ମଧ୍ୟ ନେଇଥିଲେ | ନିଜର ଖେଳ କୌଶଳରେ ଦର୍ଶକ ମାନଙ୍କୁ ଚକିତ କରିଥିବା ଅନ୍ୟ ଖେଳାଳୀ ମାନେ ହେଲେ ସମ୍ବିତ ଶୁକ୍ଲା, ରଜତ ଜେନା, ଅବଦେଶ ସିଂ, ଅନୁଭବ ତ୍ରିପାଠୀ ଇତ୍ୟାଦି ଏବଂ ବାଳିକା ଖେଳାଳିଙ୍କ ମଧ୍ୟରେ ପ୍ରୀତିପ୍ରଜ୍ଞା, ସ୍ମୃତି ଓ ପ୍ରଗତି |
ଟିବିଡବ୍ଲ୍ୟୁ ପ୍ରିମିଅର୍ କ୍ରିକେଟ୍ ଲିଗ୍ ଏବେ ଘରେ ଘରେ ପରିଚିତ ହୋଇ ପାରିଛି | ଏହି ଲିଗ୍ କୁ ମିଳୁଥିବା ବିପୁଳ ସଫଳତା ଏବଂ ଖ୍ୟାତି, ଟିବିଡବ୍ଲ୍ୟୁ ପକ୍ଷରୁ ପାଠପଢା ସହିତ ଛାତ୍ରଛାତ୍ରୀମାନଙ୍କର ପ୍ରତିଭାକୁ ଲୋକ ଲୋଚନକୁ ଆଣିବାର ଏକ ଅଭିନବ ପ୍ରୟାସର ସଫଳତା ପ୍ରତିପାଦନ କରୁଛି | ଅମୋଘା ମେଗା ସ୍କାଏ ବକ୍ସ କ୍ରିକେଟ ଷ୍ଟାଡିଅମର ଏହି ମେଗା ମଞ୍ଚ କ୍ରିକେଟ ଜଗତରେ ଓଡ଼ିଆ ପ୍ରତିଭା ମାନଙ୍କର ଉପସ୍ଥିତି ସୁନିଶ୍ଚିତ କରିବାରେ ସହାୟକ ହେବ ବୋଲି ଟି.ବି.ଡବ୍ଲ୍ୟୁର ଚେୟାରମ୍ୟାନ ଶ୍ରୀ ସୁରେଶ ଚନ୍ଦ୍ର ଶର୍ମା ଓ ଡ଼ାଇରେକ୍ଟର ଶ୍ରୀ ସୂଦୀପ ଶର୍ମା ମତ ଦେଇଛନ୍ତି |